ବ୍ୟୁରୋ : ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିବା ବୟସ୍କ ଅଣ୍ଡିରା ସିମ୍ପାଞ୍ଜି ଜୁଲୁର ଆଜି ସକାଳେ ମୃତ୍ୟୁ ଘଟିଛି।ମୃତ୍ୟୁ ବେଳକୁ ସିମ୍ପାଞ୍ଜିକୁ ୩୬ବର୍ଷ ବୟସ ହୋଇଥିଲା।ଗତ ଏକ ମାସ ହେଲା ଜୁଲୁ ବୟସାଧିକ କାରଣ ଯୋଗୁଁ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ଓୟୁଏଟି ବରିଷ୍ଠ ଡାକ୍ତରଙ୍କ ଦ୍ଵାରା ଜୁଲୁ ଚିକିତ୍ସାଧୀନ ଥିଲା।ଆଜି ସୋମବାର ସକାଳୁ ତାର ମୃତ୍ୟୁ ଘଟିଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ,୧୯୮୮ ମସିହା ଅକ୍ଟୋବର ୧୨ ତାରିଖରେ ଜୁଲୁ ସିଙ୍ଗାପୁର ଚିଡ଼ିଆଖାନାରେ ଜନ୍ମ ଗ୍ରହଣ କରିଥିଲା।ପରବର୍ତ୍ତୀ ସମୟରେ ନନ୍ଦନକାନନ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ୧୯୯୪ ମସିହା ମେଂ ୧୬ ତାରିଖରେ ସିମ୍ପାଂଜି ଜୁଲୁକୁ ନନ୍ଦନକାନନ ଅଣାଯାଇ ଥିଲା।ସେହିଦିନ ଠାରୁ ନନ୍ଦନକାନନ ପ୍ରାକୃତିକ ମନଲୋଭା ପରିବେଶରେ ବଢ଼ି ଜୁଲୁ ପର୍ଯ୍ୟଟକଙ୍କୁ ମନୋରଞ୍ଜନ ଯୋଗାଇବା ସହିତ ସିମ୍ପାଞ୍ଜି ବଂଶ ବୃଦ୍ଧିର ମୁଖ୍ୟ ସହାୟକ ଥିଲା।ଏପଟେ, ବାର୍ଦ୍ଧକ୍ୟ ଜନିତ କାରଣରୁ ଆଜି ତାର ମୃତ୍ୟୁ ଘଟିଛି। ଜୁଲୁର ମୃତ୍ୟୁ ପରେ ବର୍ତ୍ତମାନ ନନ୍ଦନକାନନରେ ସିମ୍ପାଞ୍ଜି ସଂଖ୍ୟା ୭କୁ ଖସି ଆସିଛି।