ବିୟୁରୋ : ମା ଛେଉଣ୍ଡ ହୋଇ ଗଲେ ନବ ଜନ୍ମିତ ଦୁଇ ଶାବକ।ଦୁଇ ଦିନ ତଳେ ଦୁଇଟି ଶାବକକୁ ଜନ୍ମ ଦେଇଥିବା ୮ ବର୍ଷୀୟା ସିଂହୀ ରେୱାର ଆଜି ଅଚାନକ ମୃତ୍ୟୁ ଘଟିଛି।ସୁସ୍ଥ ସବଳ ଥିବା ସିଂହୀ ଆଜି ସକାଳୁ ଫିଡିଂ ଚାମ୍ବରରେ ମରି ପଡ଼ିବା ଖବର ପ୍ରଚାରିତ ହେବା ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଛାନିଆ ପସି ଯାଇଛି।
ପ୍ରକାଶ ଯେ,ଗତ ଜାନୁଆରୀ ୨୫ ତାରିଖ ଶନିବାର ଦିନ ପର୍ଯାୟ କ୍ରମେ ତିନୋଟି ଛୁଆକୁ ଜନ୍ମ ଦେଇଥିଲା ସିଂହୀ ରେୱା।ସେଥି ମଧ୍ୟରୁ ଗୋଟିଏ ମୃତ ଶାବକକୁ ଜନ୍ମ ଦେଇଥିବା ବେଳେ ଦୁଇଟି ସୁସ୍ଥ ଶାବକ ଜନ୍ମ ଦେଇଥିଲା।ହେଲେ ଦୁଇଦିନ ନଯାଉଣୁ ସିଂହୀ ରେୱାର ମୃତ୍ୟୁ ହେବା ନେଇ ବନ୍ୟପ୍ରେମୀ ମହଲରେ ଗଭୀର ଦୁଃଖ ପ୍ରକାଶ ପାଇଛି।
ଗତକାଲି ସନ୍ଧ୍ୟାରେ ସିଂହୀ ରେୱା ସଠିକ ଖାଦ୍ୟ ଖାଇବା ସହ ପାଣି ମଧ୍ୟ ସମ୍ପୂର୍ଣ୍ଣ ପିଇ ଥିବା ସିସିଟିଭି ଫ୍ରୁଟେଜରୁ ଜଣା ପଡୁଛି।ହେଲେ ଅଚାନକ ଫିଡ଼ିଂ ଚାମ୍ବର ମଧ୍ୟରେ ସକାଳୁ ସକାଳୁ ମରି ପଡ଼ିବା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ଅବହେଳାର ସନ୍ଦେହକୁ ସ୍ପଷ୍ଟ କରୁଛି।
ସେପଟେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ରେୱାର ମୃତ୍ୟୁ ଘଟିଲା ନା ଆଉ କେଉଁ କାରଣ ପାଇଁ ସିଂହୀର ମୃତ୍ୟୁ ହେଲା ତାହା ସବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କୁହାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ଦେଇଛନ୍ତି ସୂଚନା।